ଭୁବନେଶ୍ବର: ଜନ୍ମ , ମୃତ୍ୟୁ , ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ, ପ୍ରତ୍ୟାବର୍ତ୍ତନ , ବିବାହ , ସଫଳତା ଆଦି ବ୍ୟକ୍ତିତ୍ଵଭିଭିକ ଖବରରେ ପ୍ରକାଶ ପାଇଥାଏ । ଏସବୁ ଖବର ପରିବେଷଣ କରାଯାଏ ଖବରକାଗଜର ପ୍ରସାର ଲାଗି । ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନେ ଖବରକାଗଜ ମାଧ୍ୟମରେ ଖବରଟି ଜାଣି ଅଭିନନ୍ଦନ ଅବା ଦୁଃଖ ପ୍ରକାଶ କରିବାକୁ ଯାଇଥାନ୍ତି । ଧରାଯାଉ କୌଣସି ଧର୍ମ ପ୍ରବଚନ ଦେବାପାଇଁ ବିଶିଷ୍ଟ ବାବା ସ୍ଥାନୀୟ ବ୍ଲକ୍ ସାମ୍ନାରେ ବା ସ୍କୁଲ ପଡ଼ିଆକୁ ଆସୁଛନ୍ତି । ତେବେ ଏହି ଖବର ପ୍ରକାଶିତ ହେବାପରେ ଖବରଟିକୁ ପଢ଼ି ସ୍ଥାନୀୟ ଲୋକେ, ଯାହାଙ୍କ ଆଗ୍ରହ ଥିବ ସେ ପ୍ରବଚନ ଶୁଣିବାକୁ ଯାଇପାରିବେ । ସେହିପରି ଅଞ୍ଚଳର ବିଶିଷ୍ଟ ଖ୍ୟାତନାମା ବ୍ୟକ୍ତିଙ୍କ ମୃତ୍ୟୁ ଖବର ଶୁଣି ପାଖ ପରିଜନ , ସମର୍ଥକ , ଶୁଭେଛୁ ମାନେ ଦୁଃଖ ପ୍ରକାଶ କରିଥାନ୍ତି । ସ୍ଥାନୀୟ ବ୍ୟକ୍ତିଙ୍କର ସଫଳତା ମଧ୍ୟ ବହୁ ଚମକପ୍ରଦ ଖବର ଭାବେ ବିବେଚନା କରାଯାଏ । ଧରାଯାଉ , ମାଟ୍ରିକ୍ୟୁଲେସନ୍ ଅବା ଯୁକ୍ତ ଦୁଇ କିମ୍ବା ଯୁକ୍ତ ତିନି ପରୀକ୍ଷାରେ କିଏ ଯଦି ପ୍ରଥମ ଦଶଜଣ | ପ୍ରଥମ କୋଡ଼ିଏ ଜଣ ଭିତରେ ସ୍ଥାନ ପାଏ , ତେବେ ଅତିଶୀଘ୍ର ସେହି ଖବର ଫଟୋ ସହିତ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇଦେବା ଉଚିତ । ସେହିପରି ତୃତୀୟ , ପଞ୍ଚମ ବା ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ଯଦି କେହି ବୃଦ୍ଧି ପାଇଥାନ୍ତି , ତାହା ମଧ୍ୟ ଖବର ଭାବେ ପ୍ରକାଶ କରାଯାଇଥାଏ । ସର୍ବଭାରତୀୟ ସ୍ତର ରେ କି ଏ ଯଦି ସଫଳତା ପାଇଥାନ୍ତି , ତାହା ମଧ୍ୟ ଭଲ ଖବର ଭାବେ ଖବରକାଗଜରେ ସ୍ଥାନ ମାଡ଼ିବସେ । ମୋଟାମୋଟି ଭାବରେ କହିବାକୁ ଗଲେ ଖବରକାଗଜର ପ୍ରସାର ପାଇଁ ହିଁ ଏଭଳି ଖବର ପ୍ରକାଶ କରାଯାଇଥାଏ ।

