ଆଜିର ସମାଜ ଯେଉଁ ଭଳି ଭାବରେ ଦୃତଗତିରେ ବିପଥଗାମୀ ହେବାରେ ଲାଗିଛି । ତାହା ଆଗାମି ପିଢିଙ୍କ ଭବିଷ୍ୟତ ପାଇଁ ଶୁଭଙ୍କର ହେବ ବୋଲି ଭାବିବା ଆଦୌ ଠିକ୍ ନୁହେଁ । ଆଜି ଦିନରେ ଆମ ବ୍ୟବସ୍ଥା ଏମିତି ଯେ , ଚୋରକୁ ଚୋର କହିଲେ ଦୋଷ ପରି କଥା ହେଲାଣି ଯେଉଁଥି ପାଇଁ ବର୍ତ୍ତମାନ ସମୟରେ କାହାକୁ କିଛି କହିବା କିଛି କରିବା ପାଇଁ ଲୋକଙ୍କୁ ପଛଘୁଞ୍ଚା ଦେବାକୁ ପଡ଼ୁଛି । ଏବେ ପ୍ରାୟତଃ ସବୁଠି ଦେଖିବାକୁ ମିଳେ ରାସ୍ତାରେ ଗଲାବେଳେ ଯଦି କୌଣସି ଦୁର୍ଘଟଣା ଘଟିଥିବ ଆଉ ଲୋକ ଆଘାତ ହୋଇ ପ୍ରାଣ ବିକଳରେ ଛଟପଟ ହେଉଥିବ ମାନବିକତା ଦୃଷ୍ଟିକୋଣରୁ ସାହାର୍ଯ୍ୟ କରିବା ପାଇଁ ହାତ ବଢ଼ାଇବାକୁ ଇଚ୍ଛାଥିଲେ ମଧ୍ୟ ସଚେତନତା ଅଭାବରୁ ଲୋକ ଆଇନ କାନୁନର ବ୍ୟବସ୍ଥାରେ ଛନ୍ଦି ହେବାକୁ ଇଚ୍ଛାପ୍ରକାଶ ନକରି ଅଣଦେଖା କରି ଚାଲିଯାଆନ୍ତି । ଆଜିର ସମାଜରେ ଏପରି କାହିଁକି ? ଏମିତିରେ ବି ସମସ୍ତ ଲୋକ ଯେ ଏଥିରେ ସହଯୋଗ କରନ୍ତି ନାହିଁ ତାହା ନୁହେଁ କିନ୍ତୁ ତାହାରି ସଂଖ୍ୟା ଅତି ନଗନ୍ୟ । ବେଳେବେଳେ ରାସ୍ତା କଡରେ ଗଲାବେଳେ ରାସ୍ତା ଉପରେ ସାଇକେଲ , ଜାନବାହାନ କିମ୍ବା ଲୋକମାନେ ଠିଆହୋଇ ଗପ ମାରିବା ଦେଖିବାକୁ ମିଳେ । ଏହାକୁ ଯଦି କେହି କହିବ ତାହେଲେବି ସେ ଦୋଷି ? ଯିଏ ଏହାକୁ ତାଙ୍କର ଭଲ ପାଇଁ କହିବ, ସେଇ କହିବା ଲୋକକୁ ନାନା କଥା ଶୁଣି ବାକୁ ପଡିଥାଏ । ଯେତେବେଳେ ମହିଳାକୁ ମହିଳା ବୋଲି କହିବା ଦୋଷାବହ କହିବେ , ତାହେଲେ ସେଇଠି କଣ ବା ସମାଜ ଆଗେଇବ । ଆପଣଙ୍କ ମନେଥିବ ପ୍ରଧାନମନ୍ତ୍ରୀ ବାଙ୍ଗଲାଦେଶ ଗସ୍ତବେଳେ ଆତଙ୍କବାଦକୁ ନେଇ ବାଙ୍ଗାଲାଦେଶର ମହିଳା ପ୍ରଧାନମନ୍ତ୍ରୀ ମହିଳା ହୋଇ ମଧ୍ୟ ଯେଉଁ ସାହସିକତା ପ୍ରଦର୍ଶନ କରିଛନ୍ତି ସେଥ ପାଇଁ ତାଙ୍କ ସାହସିକତାକୁ ପ୍ରଶଂସା କରିଥିଲେ । ଏହାପରେ ଅନେକ ଲୋକ ଟୁଇଟର ଜରିଆରେ ସମାଲୋଚନା କରିଥିଲେ ଯାହା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି । ତାହେଲେ ମହିଳାକୁ ମହିଳା ବୋଲି କହିବା ମଧ୍ୟ ଅପରାଧ କି ? ତାହେ ହେଲେ ଯେଉଁ ବନ୍ଧୁମାନେ ଏକଥାକୁ ନେଇ ସମାଲୋଚନା କରୁଛନ୍ତି । ସେହି ବନ୍ଧୁମାନେ ନିଜର ମାନବିକତା ଦୃଷ୍ଟି କୋଣରୁ କଣ ବୋଲି ଡାକିବା ଦରକାର ତାହାବି ଜଣେଇବା ଦରକାର ନୁହଁ କି ?
ଆମେ ସବୁ କଥା ରେ ଅଳିଆ ବାଛିବା ଯୋଗୁଁ ସମାଜରେ ଧିରେ ଧିରେ ଲୋକମାନଙ୍କମନରୁ ମାନବିକତା କମିବାରେ ଲାଗିଛି । ସତ କହିଲେ ଯଦି ଅପରାଧ ତାହେଲେ ସମାଜର ଲୋକମାନେ ଏ ଅପରାଧ କରିବେ କାହିଁକି ? ଆଉ ଆଇନ ଜାଲରେ ଛନ୍ଦିହେବେ କାହିଁ ? ସେଇଥି ପାଇଁ ବୋଧହୁଏ ଆଜିର ଦୁନିଆଁରେ ମାନବିକତା ଧିରେଧିରେ କମିବାରେ ଲାଗିଛି । ସମାଜର ଲୋକଙ୍କ ମନରୁ ମାନବିକତା କମିବା ପଛରେ କାଳେ କେତେକ ସ୍ଥାନରେ ଏହି ବ୍ୟବସ୍ଥା ହିଁ ଦାୟୀ ବୋଲି ବୁଦ୍ଧିଜୀବିମାନେ ମତ ଦିଅନ୍ତି । ଯଦି ଆଜିର ଆଧୁନିକ ସମାଜରେ ଚୋରକୁ ଚୋର କହିଲେ ଦୋଷ ତାହେଲେ ଲୋକମାନେ ଯେତେ ବିପଦରେ ପଡିଥିଲେ ମଧ୍ୟ ବ୍ୟବସ୍ଥାର ଭୟରେ ସହଯୋଗର ହାତ ବଢ଼ାଇବାକୁ ମନ ବଳାଉ ନାହାନ୍ତି । ତାହେଲେ ଏଥି ପାଇଁ ଦାୟୀ କିଏ ? ବ୍ୟବସ୍ଥା ନା ଆଜିର ସମାଜ ? ଏବେଠୁ ଲୋକଙ୍କୁ ସଚେତନ କରିବା ଉଚିତ୍ ନଚେତ ଯେକେହି ଚେତାଶୂନ୍ୟ ହୋଇ ପଡିଥିଲେ ମଧ୍ୟ ଲୋକ ଆହା ମଧ୍ୟ କହିବେ ନାହିଁ । ହେଲେ ତାର କଷ୍ଟଦେଖି ଆହା ବିଚରା ବୋଲି ଚାଲିଯିବେ । ସେଥି ପାଇଁ ସୁସ୍ଥ ସୁନ୍ଦର ସମାଜ ଗଠନ ପାଇଁ କେତେକ ଘଟଣାବଳୀ ଉପରେ ଲୋକମାନଙ୍କୁ ସରକାରୀ ସ୍ତରରେ ଏବଂ ବୁଦ୍ଧିଜୀବି ମହଲରେ ସଚେତନତା କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ । ନଚେତ ଆଜିର ଶିଶୁ କାଲିର ଭବିଷ୍ୟତ ବାସ୍ତବରେ ଯେ , କିଭଳି ତାଙ୍କ ଭବିଷ୍ୟତ ଗଠନ ହେବ ତାହା ବେସ ଜଣାପଡୁଛି ।


