ଗୁଜୁରାଟ,୭।୬: ଗୁଜୁରାଟ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ ଏବଂ ଗୁଜୁରାଟ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ( ଏମଓୟୁ ) ସ୍ୱାକ୍ଷରିତ ହୋଇଯାଇଛି । ଏହି ଏମଓୟୁ ଅଧୀନରେ ଇଣ୍ଡିଆନ ଅଏଲର ଗୁଜୁରାଟ ବିଶୋଧନାଗାର ରାଜ୍ୟରେ ତୈଳ , ଗ୍ୟାସ ଭିତିଭୂମିକୁ ମଜବୁତ କରିବା ସମେତ ଗୁଜୁରାଟର ବିକାଶ ପାଇଁ ୨୪ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଏହି ପୁଞ୍ଜିନିବେଶ ହେବା ଦ୍ବାରା ଗୁଜୁରାଟ ବିଶୋଧନାଗାର ସଂମ୍ପ୍ରସାରଣ ହେବା ସହ ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ଉତ୍ପାଦର ଉପଲବ୍ଧତା ବଢ଼ିବ । ଗୁଜୁରାଟକୁ ପେଟ୍ରୋଲିୟମ ଏବଂ ଡ଼ାଉନଷ୍ଟ୍ରିମ ଶିଳ୍ପର ପେଣ୍ଠସ୍ଥଳି କରିବା ପାଇଁ ଇଣ୍ଡିଆନ ଅଏଲର କାର୍ଯ୍ୟକୁ ଗତି ପ୍ରଦାନ କରିବ । ଏମଓୟୁ ଅନୁସାରେ ଇଣ୍ଡିଆନ ଅଏଲ ଦ୍ବାରା ଗୁଜୁରାଟରେ ଭାରତର ପ୍ରଥମ ହାଇଡ୍ରୋଜେନ୍ ବିତରଣ ଷ୍ଟେସନର ପ୍ରତିଷ୍ଠା ହେବ । ପ୍ରବାସୀ ଶ୍ରମିକଙ୍କ ପାଇଁ ସୁଲଭ ଗୃହ ନିର୍ମାଣ ସହ ଉଦୀୟମାନ ଇନ୍ଧନର ବିକାଶ କରାଯିବ । ଏହି ଏମଓୟୁ ଗୁଜୁରାଟ ପାଇଁ ସମୃଦ୍ଧିର ଏକ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରିବ । ଇନ୍ଧନର ସ୍ଥାୟୀ ବିକାଶ ଓ ଉର୍ଜା ସୁରକ୍ଷାକୁ ଦୃଷ୍ଟି ଦେବା ସହିତ ବୃହତ ଆକାରର ନିଯୁକ୍ତି ସୃଷ୍ଟି କରିବ । ଏହା ଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତ ପଦକ୍ଷେପରେ ଆଗେଇବା ପାଇଁ ଗୁଜୁରାଟକୁ ସହାୟକ ହେବ । ସୂଚନାଯୋଗ୍ୟ , ଭାରତର ଗ୍ୟାସ ରାଜଧାନୀ ଗୁଜୁରାଟ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଆଜି ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

