ଭୁବନେଶ୍ବର,୭।୬: ବିଜେଡି ଭିତରେ ଲାଗିଥିବା ଗୋଷ୍ଠି ବିବାଦ ଏବେ ପଦାକୁ ଆସିଛି । ତେବେ ଏହି ବିବାଦ ପଛରେ ସାଂସଦଙ୍କ ପକ୍ଷଛେଦନ ନୁହଁତ ? ଏବଂ ଏଥିରେ ବିଜେଡିର ଚାଣକ୍ୟଙ୍କ ହାତ ନାହିଁତ ? କାରଣ ସଂସଦୀୟ କ୍ଷେତ୍ରରେ ଏକ ଚର୍ଚ୍ଚାର ପ୍ରସଙ୍ଗ ରହିଆସିଛି କି ସମସ୍ତ ବିଧାୟକ ମିଶି ସାଂସଦଙ୍କୁ କୋଣଠେସା କରୁଛନ୍ତି । ଯଦି ଏ ଚର୍ଚ୍ଚାର ଖବର ଉପରେ ସତ୍ୟତା ଥାଏ ତାହେଲେ ଅନେକ କିଛି ଘଟଣା ଇଙ୍ଗିତ କରୁଛି ! ତେବେ ସୂଚନା ଥାଉ କି, ଅନେକ ଦିନ ଧରି ସାଂସଦ ଓ ବିଧାୟକଙ୍କ ଭିତରେ ଭିତରେ ଲାଗିଥିବା ଛକାପଞ୍ଝା ଏବେ ବିସ୍ଫୋରଣର ରୂପ ନେଇଛି । ଦୁଇ ଲୋକ ପ୍ରତିନିଧି ଶେଷରେ ସର୍ବ ସମ୍ମୁଖରେ ତୁତୁ ମେମେ ହୋଇଛନ୍ତି । ଏପରିକି ଉଭୟଙ୍କ ସମର୍ଥକ ମଧ୍ୟରେ ଉଚବାଚ ହୋଇଛି । ମିଳିଥିବା ଖବର ଅନୁସାରେ ଶନିବାର ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ସଦର ମହାକୁମା ଠାରେ କୋଭିଡ କେୟାର ସେଣ୍ଟର ପାଲଲହଡ଼ା ପ୍ରଶାସନ ପକ୍ଷରୁ ସକାଳ ୧୦.୩୦ ସମୟରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଳ ଏବଂ ସାଂସଦ ମହେଶ ସାହୁଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ସାଂସଦ ଆସିବାରେ ସାମାନ୍ୟ ବିଳମ୍ବ ହେବାରୁ ବିଧାୟକ ଅପେକ୍ଷା ନକରି ଏହି କୋଭିଡ଼ କେୟାର ସେଣ୍ଟରକୁ ୧୦.୪୦ରେ ନିଜ ସମର୍ଥକ ତଥା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ ଉଦଘାଟନ କରି ଦେଇଥିଲେ । ତେବେ ଦିନ ୧୧ ଟା ସମୟରେ ସାଂସଦ ଶ୍ରୀ ସାହୁ ନିଜ ସମର୍ଥକଙ୍କ ସହିତ ପହଞ୍ଚି କୋଭିଡ଼ କେୟାର ସେଣ୍ଟର ଉଦଘାଟନ କାର୍ଯ୍ୟ ଶେଷ ହୋଇଥିବା ଜାଣି ଉତକ୍ଷିପ୍ତ ହୋଇଯାଇଥିଲେ । ସାଂସଦ ଶ୍ରୀ ସାହୁ ରାଗରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ବିଧାୟକ ମଧ୍ୟ ସାଂସଦଙ୍କ ଏଭଳି ଆଚରଣକୁ ବିରୋଧ କରିଥିଲେ । ଯାହାଫଳରେ କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ବିଧାୟକଙ୍କ ସମର୍ଥକ ସାଂସଦଙ୍କ ଏତାଦୃଶ ବ୍ୟବହାରକୁ ବିରୋଧ କରି ନାରାବାଜି କରିବା ସହିତ ହୋ ହାଲ୍ଲା କରିଥିଲେ । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ତେବେ ସାଂସଦଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବିଧାୟକ ମାନେ ଏକଘରିକିଆ କରୁଥିବା ଚର୍ଚ୍ଚା ହେଉଛି । ତେବେ ଏ ବିବାଦକୁ ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଭଳି ଭାବରେ ଗ୍ରହଣ କରୁଛନ୍ତି ଓ କଣ ପଦକ୍ଷେପ ନେଉଛନ୍ତି ତାଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏଭଳି ଗୋଷ୍ଠି ବିବାଦ ଦଳ ପାଇଁ ଆଦୌ ଶୁଭଂକର ନୁହେଁ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି ।

