ସୁବର୍ଣ୍ଣପୁର,୮।୬: ଓଡିଶାରେ ଫିକ୍ସିଂ ପଲିଟିକ୍ସ୍ ! ନୁଆଁ ନୁହଁ ଏମିତି କଥା ଶୁଣିଲେ ହୁଏତ ସମସ୍ତଙ୍କୁ ଆଶ୍ଚର୍ୟ୍ଯ ଲାଗିବ କିନ୍ତୁ ରାଜନୈତିକ ବିଶାରଦମାନେ ଏହାକୁ ରାଜନୀତି ଗୋଟିଚାଳନାର (ଫିକ୍ସିଂ) ଏକ ଅଂଶ ବୋଲି କୁହନ୍ତି । ତେବେ ଏଭଳି ଫିକ୍ସିଂ ପଲିଟିକ୍ସ୍ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ୨୦୧୯ ନିର୍ବାଚନରେ ସୋନପୁର ନିର୍ବାଚନ ମଣ୍ଡଳିରେ ବିଜେଡି ପ୍ରାର୍ଥୀ ଭାବରେ ନିରଂଜନ ପୁଜାରୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଭାବରେ ଅଶୋକ ପୁଜାରୀଙ୍କୁ ଦଳ ଟିକେଟ ଦେଇଥିଲା । ଯିଏକି ନିରଂଜନ ପୁଜାରୀଙ୍କ ସଂପର୍କିୟ । ସୋନପୁର ନିର୍ବାଚନ ମଣ୍ଡଳି ପାଇଁ ବିଜେପି ତରଫରୁ ଶରତ ସତପଥି, ବଳଦେବ୍ ବେଦବାଗ୍, ରାମଶଂକର ଭୋଇ ଏମିତି ଅନେକ ନେତା ଥିଲେ ମଧ୍ୟ ଦଳ ଅଶୋକକୁ ଟିକେଟ୍ ଦେଲା ! ତାଙ୍କୁ ଦଳ ଟିକେଟ୍ ଦେବା ପାଇଁ କେଉଁ ନେତା ରେକୋମେଣ୍ଟ୍ କରିଥିଲେ ? ଏ ସବୁ ପ୍ରଶ୍ନବାଚୀ ଭିତରେ ବଲାଙ୍ଗୀର ଏମ୍.ପି ସଙ୍ଗିତା ସିଂଦେଓଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ସୋନପୁର ଜିଲ୍ଲାକୁ ନିର୍ବାଚନ ପ୍ରଚାରରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ । ତାପରେ ଜିଲ୍ଲାରେ ରାଜନୈତିକ ମାହୋଲ ବିଜେପି ମୁହାଁ ହୋଇଥିଲା । ତଥାପି କାହିଁକି ଦଳ ସୋନପୁରରେ ହାରିଲା ? କୁହାଯାଉଛି ନିର୍ବାଚନର ଠିକ ୪/୫ଦିନ ପୂର୍ବରୁ ବିଜେପି ପ୍ରାର୍ଥୀ ହୋଇଥିବା ଅଶୋକ ପୁଜାରୀ ଘରେ ଚୁପ୍ ଚାପ୍ ବସିଗଲେ । ଯଦି ଏ କଥାର ସତ୍ୟତା ଥାଏ ତାହେଲେ ବିଜେଡି ପ୍ରାର୍ଥୀ ନିରଂଜନ ପୂଜାରୀଙ୍କୁ ଜିତେଇବା ପାଇଁ ବିଜେପି ସହିତ ବଡ ଡିଲ୍ ହୋଇଥିବା ଚର୍ଚ୍ଚାକୁ ଅସ୍ବୀକାର କରାଯାଇ ନପାରେ । ହେଲେ କୋଉ ବିଜେପି ନେତାଙ୍କ ସହିତ ବିଜେଡିର ଡିଲ୍ ହୋଇଥିଲା ? ଏମ୍.ପି ଭୋଟ ପାଇଁ ପଶ୍ଚିମ ଓଡିଶାର ବିଜେପି ନେତା କନକବର୍ଦ୍ଧନ ସିଂଦେଓ ବିଜେଡି ନେତା ନିରଜଂନଙ୍କ ସହିତ ଫିକ୍ସିଂ କରିଥିଲେ କି? କାରଣ ତାଙ୍କର ଧର୍ମପତ୍ନୀ ସଙ୍ଗିତା ସିଂଦେଓ ବିଜେପିର ବଲାଙ୍ଗୀର ଲୋକସଭାର ଆସନରୁ ପ୍ରାର୍ଥୀ ହୋଇଥିଲେ । ତେବେ ନିର୍ବାଚନ ସରିବା ପରେ ଏଭଳି ଅନେକ ଖବର ଚର୍ଚ୍ଚାକୁ ଆସିଛି । ଆଉ ଏହି ଫିକ୍ସିଂ ପଲିଟିକ୍ସ ଯୋଗୁଁ ବିଜେପି କେବଳ ସୋନପୁର ଜିଲ୍ଲାରେ ନୁହଁ ଓଡିଶାରେ ମଧ୍ୟ ଧିରେଧିରେ ଲୋକପ୍ରିୟତା ହରାଉଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।

