ବୌଦ୍ଧ,୧୧।୭: ରାଜ୍ୟ ସରକାର ବୌଦ୍ଧ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରିଥିବା ବେଳେ କେମିତି ବୌଦ୍ଧ-କନ୍ଧମାଳ ସୀମା ତଥା ବୌଦ୍ଧ ଜିଲ୍ଲା ଉମା ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଲା ? ଯଦି ବୌଦ୍ଧ ଜିଲ୍ଲା ମାଓମୁକ୍ତ ହୋଇଥିଲା ତେବେ ଘୋଷଣାର କିଛି ମାସ ପରେ ହଠାତ ଆସି ଉମା ଜଙ୍ଗଲରେ ମାଓବାଦୀ ତାଙ୍କର କ୍ୟାମ୍ପ କରିଥିଲେ କି? ଏ ସଂପର୍କରେ ଗୁଇନ୍ଦା ବିଭାଗ ପାଖରେ ଖବର ଥିଲା ନା ନାହିଁ ? ନା' ବୌଦ୍ଧ ଜିଲ୍ଲାରେ ମାଓମାଦୀ କୌଣସି ଘଟଣା ଘଟେଇନଥିବାରୁ ଗୁଇନ୍ଦା ରିପୋର୍ଟକୁ ମଧ୍ୟ ସରକାର ହାଲୁକା ଭାବରେ ଗ୍ରହଣ କରିଥିଲେ ? ଏଭଳି ଅନେକ ପ୍ରଶ୍ନ ବର୍ତମାନ ସାମ୍ନାକୁ ଆସୁଛି । ଉମା ଘଟଣା ପରେ ସୋସିଆଲ ମିଡିଆରେ କେବଳ ପୋଲିସ ପ୍ରଶାସନ ଓ ଗୁଇନ୍ଦା ବିଭାଗକୁ ପ୍ରଶ୍ନ ଉଠାଇଛନ୍ତି । ଯାହା ସ୍ବାଭାବିକ କଥା ମଧ୍ୟ । କିନ୍ତୁ ସବୁଠାରୁ ବଡ କଥା ହେଉଛି ସରକାରଙ୍କ ବାଃ ବାଃ ନେବାର ନିଶା ବୌଦ୍ଧ ଜିଲ୍ଲାକୁ ମାଓମୁକ୍ତ କରିବାକୁ ବାଧ୍ୟ କରିଥିଲା କି? ସମସ୍ତେ ଜାଣନ୍ତି ବୌଦ୍ଧ ଜିଲ୍ଲାର ସୀମାନ୍ତରେ କନ୍ଧମାଳ ସୀମା ରହିଛି କନ୍ଧମାଳରେ ସୁରକ୍ଷାକର୍ମୀଙ୍କ କମ୍ବିଂ ହେଲେ ମାଓବାଦୀ ନିଜର ସୁରକ୍ଷା ଦୃଷ୍ଟିରୁ ବୌଦ୍ଧ ସୀମାରେ ପ୍ରବେଶ କରିବେ, କ୍ୟାମ୍ପ କରିବେ । କିନ୍ତୁ ସବୁ ଘଟଣା ହାଲୁକା ଭାବରେ ନେଲେ ରାଜ୍ୟ ସରକାର । ଯାହା ଫଳରେ ଆଜି ଯବାନ-ମାଓଙ୍କ ଗୁଳିବିନିମୟରେ ୨ଜଣ ଯବାନ ଗୁରୁତର ଆହତ ହୋଇ ଏମ୍ସରେ ଭର୍ତି ହୋଇଛନ୍ତି । ଜିଲ୍ଲାବାସୀଙ୍କ ସୁରକ୍ଷା ଓ ଶାନ୍ତି ଦୃଷ୍ଟିରୁ ଜିଲ୍ଲାର ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ବାସ୍ତବିକ ମାଓମୁକ୍ତ କରିବା ଉପରେ ଦୃଷ୍ଟିଦେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

