ଭୁବନେଶ୍ବର,୧୬।୭। ମୋଦି ପରେ ନବୀନଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ ଯେ କୌଣସି ମୁହୁର୍ତ୍ତରେ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ମନ୍ତ୍ରୀଙ୍କୁ ବିଦା କରିବା ସହ ଅନୁଭବି ନେତାଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଦଳୀୟ ଭିତରେ ଆଲୋଚନା ହେଉଛି । ତେବେ ବର୍ତମାନ ମନ୍ତ୍ରୀଥିବା ୩/୪ଜଣ ନେତାଙ୍କ ମନ୍ତ୍ରୀପଦ ଯାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ମଣ୍ଡି ସମସ୍ୟାକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ରହିଛି ତେଣୁ ସେଥିରେ ମଲମ ଲଗାଇବାକୁ ଯାଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବିଦାକରିପାରନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପରିବହନ ମନ୍ତ୍ରୀଥିବା ପଦ୍ମନାଭ ବେହେରାଙ୍କ ଆସନ ମଧ୍ୟ ଟଳମଳ ହେଉଛି । ଡିଆଁମାରି ବିଜେଡିରେ ସାମିଲ ହୋଇ ମନ୍ତ୍ରୀ ହୋଇଥିବା ନେତାଙ୍କ ମନ୍ତ୍ରୀପଦ ଯାଇପାରେ ବୋଲି ଆଲୋଚନା ଚାଲିଛି । ଏହାର ଯଥାର୍ଥତା ମଧ୍ୟ ରହିଥିବା କୁହାଯାଉଛି । କାରଣ ଦଳଡେଇଁ କ୍ଷମତା ମୋହରେ ବିଜେଡିରେ ସାମିଲ ହୋଇଥିବା ନେତାଙ୍କ ଭବିଷ୍ଯତ କେତେ ଉଜ୍ବଳ ତାହାର ଅନେକ ନଜିର ରହିଛି । ବାସ୍ତବରେ ନବୀନଙ୍କ ଟିମରେ କିଏ ରହୁଛି କିଏ ଯାଉଛି ତାହା ଘୋଷଣା ପରେ ହିଁ ସ୍ପଷ୍ଟ ହେବ ।

