ବିଂଶ ଶତାବ୍ଦୀର ଆରମ୍ଭରେ ଭାରତୀୟ ସାମ୍ବାଦିକତା ଜଗତକୁ ସର୍ବାଧିକ ପ୍ରଭାବିତ କଲେ ମାହାତ୍ମା ଗାନ୍ଧି । ଗାନ୍ଧି ନିଜେ ସାମ୍ବାଦିକତା ଜଗତରେ ଦୀର୍ଘ ୪୫ ବର୍ଷରୁ ଅଧିକ ସମୟ ସକ୍ରିୟ ଥିଲେ । ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣଭେଦ ବିରୋଧୀ ଆନ୍ଦୋଳନ ସମୟରେ ୧୯୦୩ରେ ସେ ଇଣ୍ଡିଆନ୍ ଓପିନିଅନ ଆରମ୍ଭ କରିଥିଲେ । ଏହା ଏକ ୧୬ ପୃଷ୍ଠା ବିଶିଷ୍ଟ ସାପ୍ତାହିକ ଟାବ୍ଲଏଡ୍ କାଗଜ ଥିଲା । ପ୍ରତି ଶନିବାର ଦିନ ଇଣ୍ଡିଆନ୍ ଓପିନିଅନ୍ ଚାରୋଟି ଭାଷାରେ ପ୍ରକାଶିତ ହେଉଥିଲା । ଯାହା ସେଠାକାର ଜନମତକୁ ବିଶେଷଭାବେ ପ୍ରଭାବିତ କରିଥିଲା । ୧୯୧୪ରେ ଗାନ୍ଧୀ ଦକ୍ଷିଣ ଆଫ୍ରିକା ଛାଡିବା ପର୍ଯ୍ୟନ୍ତ ଏହାର ପ୍ରକାଶନ ଜାରି ରହିଥିଲା । ଭାରତରେ ୧୯୧୯ ରେ ଗାନ୍ଧୀ ଦୁଇଟି ସାପ୍ତାହିକ ପତ୍ରିକା ଆରମ୍ଭ କଲେ – “ ୟଙ୍ଗ ଇଣ୍ଡିଆ ” ଏବଂ “ ନବଜୀବନ । ୧୯୩୩ ମସିହାରେ ଆରମ୍ଭ ହେଲା “ ହରିଜନ । ମହାତ୍ମା ଗାନ୍ଧି ନିଜେ ତିନୋଟି ଖବରକାଗଜର ସମ୍ପାଦକ ଥିଲେ । ଇଣ୍ଡିଆନ ଓପିନିଅନ ( ୧୯୦୩ - ୧୯୧୫ ), ୟଙ୍ଗ୍ ଇଣ୍ଡିଆ ( ୧୯୧୯ - ୧୯୩୧ ), ଏବଂ ହରିଜନ ( ୧୯୩୩ - ୧୯୪୨ , ୧୯୪୬ - ୧୯୪୮ , ଜାନୁଆରୀ ) । ଦକ୍ଷିଣ ଆଫ୍ରିକାରେ ଇଣ୍ଡିଆନ୍ ଓପିନିଅନ୍ ପ୍ରଥମେ ଇଂରାଜୀ, ଗୁଜୁରାଟୀ, ତାମିଲ୍ ଏବଂ ହିନ୍ଦୀ ଭାଷାରେ ପ୍ରକାଶିତ ହେଉଥିଲା । ' ଇଣ୍ଡିଆ ’ ମଧ୍ୟ ଇଂରାଜୀକୁ ଛାଡି ଗୁଜୁରାଟୀ ଭାଷାରେ ନବଜୀବନ ନାମରେ ପ୍ରକାଶିତ ହେଉଥିଲା । ସେହିପରି 'ହରିଜନ' ଉଭୟ ହିନ୍ଦୀ ଏବଂ ଗୁଜୁରାଟୀ ଭାଷାରେ ମଧ୍ୟ ବାହାରୁ ଥିଲା । ଏସବୁ ଖବରକାଗଜରେ ବିଭିନ୍ନ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ମହାତ୍ମା ଗାନ୍ଧୀଙ୍କର ନିଜସ୍ବ ମତ ବିଶେଷ ଭାବେ ପ୍ରତିଫଳିତ ହେଉଥିଲା । ଗାନ୍ଧୀ ନିଜେ ଏହି କାଗଜଗୁଡିକ ପାଇଁ ଅନେକ ଲେଖା ଲେଖୁଥିଲେ । ଏକ ଆକଳନ ଅନୁସାରେ , ଗାନ୍ଧି ନିଜ ଜୀବନ କାଳରେ ୧୦ ନିୟୁତରୁ ଅଧିକ ଶବ୍ଦ ଲେଖିଛନ୍ତି । ଶବ୍ଦର ଯାଦୁକର ଗାନ୍ଧୀଙ୍କର ଖବରକାଗଜଗୁଡିକର ପ୍ରଭାବ ଲୋକଙ୍କ ଉପରେ ସୁଦୂରପ୍ରସାରୀ ଥିଲା । .

