ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଜିତି ବିଜୁବାବୁ କଂଗ୍ରେସ ଦଳର ନେତା ହେଲେ । ୧୯୬୧ ମସିହା ଜୁନ ୨୩ ତାରିଖରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କଲେ । ଅନ୍ୟମାନଙ୍କ ମଧ୍ୟରେ ବୀରେନ ମିତ୍ର ମନ୍ତ୍ରୀ ହେଲେ । ଓଡ଼ିଶାର ରାଜନୀତିକ ଦିଗବଳୟରେ ଯୁବ ନେତୃତ୍ବର ଆବିର୍ଭାବ ହେଲା । ସେ ଶିବରମନ I.C.S. ଙ୍କୁ ଚିଫସେକ୍ରେଟେରୀ କଲେ । ଭାରତର ବରିଷ୍ଠ ଇଞ୍ଜିନିୟର ଅଯୋଧ୍ଯାନାଥ ଖୋସଲାଙ୍କୁ ୧୯୬୨ ମସିହାରେ ଓଡ଼ିଶାର ରାଜ୍ୟପାଳ କରି ଆଣିଲେ । ଏହି ତ୍ରିମୂର୍ତ୍ତି ଓଡ଼ିଶାରେ ଆଉ ଏକ ନିର୍ମାଣ ଯୁଗ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡ଼ିଲେ । ବିଜୁବାବୁ କଂଗ୍ରେସ ଦଳକୁ ଜିତାଇଥିବାରୁ ନେହେରୁଙ୍କର ପ୍ରିୟପାତ୍ର ହୋଇଥିଲେ । ବିଜୁବାବୁ ଗାଁ ଗାଁରେ ଟାଇଲ୍ ଘର ଓ ନଳକୂପ ବସାଇବେ ବୋଲି ନିର୍ବାଚନରେ ଘୋଷଣା କରିଥିଲେ ସିନା , କିନ୍ତୁ ବାସ୍ତବ କ୍ଷେତ୍ରରେ ଶିଳ୍ପ ପ୍ରସାରରେ ଆଗଭର ହେଲେ । କେନ୍ଦ୍ର ସରକାରଙ୍କ ଆଶୀର୍ବାଦରେ ସେ ପାରାଦ୍ବୀପ ବନ୍ଦର , ଦୈତାରୀ ଲୁହାଖଣିଠାରୁ ପାରାଦୀପଯାଏ ଏକ୍ସପ୍ରେସ ହାଇୱେ ଦ୍ଵାରା ଲୁହାପଥର ରପ୍ତାନି ପାଇଁ ନିର୍ମାଣ କରିଥିଲେ । ନେହେରୁଙ୍କ ପ୍ରିୟପାତ୍ର ହୋଇ ବହୁ ରାଜ୍ୟ ସରକାରୀ କର୍ପୋରେସନମାନ ( IDC ସିମେଣ୍ଟ , ଫେରୋକ୍ରୋମ କାରଖାନାମାନ ) ଗଠନ କରି ଥିଲେ । ତାଙ୍କ ଉଦ୍ୟମ ଫଳରେ ଓଡ଼ିଶାରେ ଇଞ୍ଜିନିୟରିଂ କଲେଜ(ରାଉରକେଲା), ରିଜଓନାଲ କଲେଜ ଅଫ୍ ଏଜୁକେସନ(ଭୁବନେଶ୍ୱର ), ସୈନିକ ସ୍କୁଲ(ଭୁବନେଶ୍ୱର) ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଏହି ସମୟରେ ସେ ଓଡ଼ିଶାର ସୁନାବେଢ଼ାଠାରେ କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରି ମିଗ୍ ଉଡ଼ାଜାହାଜ ଇଞ୍ଜିନ କାରଖାନା ସ୍ଥାପନ କରାଇପାରିଥିଲେ । ବାଲିମେଳା ଓ ତାଳଚେରରେ ବିଦ୍ୟୁତ୍ ଉତ୍ପାଦନ ଯୋଜନା ଆରମ୍ଭ କରିଥିଲେ । ମେହେଟ୍ଟା କମିଟିର ସୁପାରିସକୁ ଭିତ୍ତିକରି ପଞ୍ଚାୟତ ସଂସ୍ଥାମାନ ଗଠନ କଲେ । ଏମାନଙ୍କ ଜରିଆରେ ଉନ୍ନୟନ ଯୋଜନାମାନ କାର୍ଯ୍ୟକାରୀ କରାଗଲା । କିନ୍ତୁ ଗାଁଗହଳରେ ଠିକାଦାରମାନେ ଓ ସରପଞ୍ଚମାନେ କୋଠା ପିଟିଲେ । ଏସବୁ ଦୁର୍ନୀତି ଦେଖି ଲୋକମାନେ ବୀତସ୍ପୃହ ହୋଇଥିଲେ । ପଞ୍ଚାୟତ ଶିଳ୍ପମାନ ପ୍ରତିଷ୍ଠା କରିଥିଲେ କିନ୍ତୁ ସେଗୁଡ଼ିକ କ୍ଷତିରେ ଚାଲିଲା । ବିଜୁବାବୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆରମ୍ଭ ହୋଇଥିଲା ।

