ଭୁବନେଶ୍ବର,୨୨।୯: କେତେ ସମ୍ବେଦନଶୀଳ ଆମ ସରକାର ? ଆଜି ଏଭଳି କଥା କାହିଁକି କୁହାଯାଉଛି । କଣ ଏମିତି ହୋଇଗଲା କି ଆମେ ସରକାର କେତେ ସମ୍ବେଦନଶୀଳ ବୋଲି ପ୍ରଶ୍ନ କରୁଛୁ ? ରାଜଧାନୀ ଉପରେ ଡ୍ରେନରେ ପଡି ଜ୍ୟୋତି ପ୍ରକାଶ ନାମକ ଜଣେ ଛାତ୍ରର ଜୀବନ ଚାଲିଯାଇଛି । ସେ ସାଇକେଲରେ ଟ୍ୟୁସନ ଯାଉଥିବା ବେଳେ ନାଳ ପାଣିସୁଅରେ ଭାଷି ଯାଇଥିବା ଜ୍ୟୋତିକୁ ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ମଧ୍ୟ ମିଳିନଥିଲା ଗତକାଲି ପାଣିରେ ମୃତଦେହ ଭାଷୁଥିବାର ଦେଖି ଉଦ୍ଧାର କରାଯାଇଥିଲା । ଏତେବଡ଼ ଭୟାନକ ଘଟଣା, କିନ୍ତୁ ସରକାରଙ୍କ ନଜରରେ ଏହା କେବଳ ଏକ ଅଘଟଣ ! ଭୁବନେଶ୍ୱରର ସବୁ ଭଲ ଶ୍ରେୟ ସରକାର ଓ ବିଏମସି ମୁଣ୍ଡାଉଥିବା ବେଳେ ଖରାପ ହେଲେ ଅଘଟଣ କହି କଥାକୁ ଏଡାଇବାକୟ ଚେଷ୍ଟାକରନ୍ତି ସରକାର । ଅନନ୍ତ ଜେନା ୨୦୧୫ରେ କହିଥିଲେ ସବୁ ମୁକୁଳା ଡ୍ରେନରେ ସ୍ଲାବ ପଡ଼ିବ, ୨୦୧୮ରେ କହିଲେ ସ୍ଲାବ ପକାଇବାକୁ ଟେଣ୍ଡର ଡାକିବୁ ଏବଂ ୨୦୨୧ରେ କହିଲେ ଆମେ ଦୁଃଖିତ ଏ କଥାରୁ ଆପଣମାନେ ଚିନ୍ତା କରନ୍ତୁ ଆମ ସରକାର କେତେ ସମ୍ବେଦନଶୀଳ ? ତେବେ ଆମେ ମନେପକେଇ ଦେବା ପାଇଁ ଚାହୁଁଛୁ ରାଜ୍ୟ ସରକାର ତଥା ଦେଶର ନଂ ୧ ମୁଖ୍ୟମନ୍ତ୍ରୀ ବୋଲି ପ୍ରଚାର କରୁଥିବା ନବୀନ ପଟ୍ଟନାୟକ ଏବଂ ତାଙ୍କ ଟିମ୍ କୁ । ଯେତେବେଳେ ନିର୍ବାଚନ ସମୟ ଆସୁଛି ସେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ କହୁଛନ୍ତି । ରାଜ୍ୟର ୪କୋଟି ଜନତା ହେଉଛନ୍ତି ମୋ ପରିବାର । ସମସ୍ତଙ୍କ ଜୀବନ ତାଙ୍କପାଇଁ ବେସ ମୁଲ୍ୟବାନ୍ ! ଏଭଳି ପ୍ରଚାର କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଥାଶୁଣୀ ବହୁତ ଖୁସି ଲାଗୁଥିବା ବେଳେ ବାସ୍ତବତା କିନ୍ତୁ ଭିନ୍ନ ପରି ଲାଗୁଛି। ଯଦି ସମସ୍ତଙ୍କ ଜୀବନ ମୁଲ୍ୟବାନ୍ ତାହେଲେ କେବଳ ଭୋଟ ପାଇଁ ମୁଲ୍ୟବାନ ବୋଲି କୁହାଯାଇ ପାରିବ କି ? ଯଦି ଜ୍ୟୋତି ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବୟାନ ଶୁଣାଯିବ ତାହେଲେ ଏଭଳି ହିଁ କୁହାଯାଇ ପାରିବ ! ତେବେ ଏଭଳି ପ୍ରସଙ୍ଗରେ ରାଜ୍ୟବାସୀକୁ ହିଁ ଚିନ୍ତା କରିବାକୁ ପଡିବ ଯେ ଆମ ସରକାର ଆମ ଏବଂ ଆମ ପିଲାର ଜୀବନ ପାଇଁ କେତେ ସମ୍ବେଦନଶୀଳ ?

